
ଚମ୍ପୁଆ/୦୬/୦୩ – ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ, ଚମକପୁର ସଂରକ୍ଷିତ ଜଙ୍ଗଲରେ ଆଜି ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲ ମଝିରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଡି ଏଫ୍ ଓ ଧନରାଜ ହନୁମନ୍ତ, ଏ ସି ଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ବାନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ, ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ସହ ଜଏଣ୍ଟ ଟାସ୍କ ଫୋର୍ସ, ଅନ୍ୟ ବନ କର୍ମଚାରୀ ଓ ଚମ୍ପୁଆ ପୋଲିସ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାଖାପାଖି ତିନି ସପ୍ତାହ ତଳେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ହାତୀଟି ମଧ୍ୟମ ବୟସର ମାଈ ହାତୀ ବୋଲି ବନ ବିଭାଗ କହିଛି । ତେବେ ହାତୀର ଦାନ୍ତ କାଟି କେହି ନେଇ ଯାଇଥିବା ସନ୍ଦେହ କରାଯାଉଥିବା ବେଳେ ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ।

ହସ୍ତୀ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇ ପାରି ନଥିବା ବେଳେ, ସ୍ଥାନୀୟ ଜନଜାତିର ଲୋକେ ଅନେକ ସମୟରେ ବାରହା ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ କେମିକାଲ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କେନ୍ଦୁଝର ଡି ଏଫ୍ ଓ କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀର ଗତି ବିଧି ଉପରେ ବନ ବିଭାଗ ସବୁ ବେଳେ ନଜର ରଖୁଥିବା କଥା କହୁଥିଲା ବେଳେ, ହାତୀଟିର ଏଭଳି ମୃତ୍ୟୁ ପାଇଁ କିଏ ଦାୟୀ ? ଏକଥା ମଧ୍ୟ ଆସୁଛି ଯେ, ହାତୀ ମୃତ୍ୟୁକୁ ତିନି ସପ୍ତାହ ବିତି ଯାଇଥିଲେ ବି ବନ ବିଭାଗ ଜାଣି ପାରିଲା ନାହିଁ କିପରି ? ତେବେ ତଦନ୍ତ ପରେ ଉଚ୍ଚ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁହିଁ ଅପେକ୍ଷା ।