
ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନୂଆ ନିୟମ; ସ୍କୁଲରେ ବାଜିବ ସ୍ୱତନ୍ତ୍ର ‘ଜଳ ବିରତି ଘଣ୍ଟି’।
ଭୁବନେଶ୍ୱର/୦୪/୦୩ – ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି । ଟାଣ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସକାଳୁଆ ସ୍କୁଲ ଘୋଷଣା ପରେ ଏବେ ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପାଇଁ ସ୍କୁଲରେ ବାଜିବ ‘ଜଳ ବିରତି ଘଣ୍ଟି’ ।
ଛାତ୍ରଛାତ୍ରୀଙ୍କୁ ପାଣି ପିଇବାର ସମୟ ମନେ ପକାଇବ ଏହି ଜଳ ବିରତି ଘଣ୍ଟି। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ ଟା ୩୦, ୧୦ ଟା ଏବଂ ୧୧ ଟା ସମୟରେ ସ୍ଵତନ୍ତ୍ର ଭାବରେ ଘଣ୍ଟି ବାଜିବ। ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପାଣି ପିଇବାର ସମୟ ଜଣାଇବ ଏହି ଘଣ୍ଟି ।
ଶରୀରରେ ଜଳୀୟ ଅଂଶକୁ ଠିକ୍ ରଖିବା ରଖିବା ହେଉଛି ଏହି ଘଣ୍ଟି ବାଜିବାର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ଛାତ୍ରଛାତ୍ରୀମାନେ ଧାର୍ଯ୍ୟ ସମୟରେ ପାଣି ପିଉଛନ୍ତି କି ନାହିଁ ଏହାକୁ ଶିକ୍ଷକମାନେ ତଦାରଖ କରିବେ। ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଯେପରି ପ୍ରଧାନ ଶିକ୍ଷକମାନଙ୍କ ସହାୟତାରେ ‘ଜଳ ବିରତି ଘଣ୍ଟି’କୁ ବାଧ୍ୟତାମୂଳକ କରାଯିବ ସେ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି ।