
ବାଂଶପାଳ/୦୪/୦୩ – କେନ୍ଦୁଝର ଜିଲ୍ଲା ସଦର ଥାନା ରାଇଗୋଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଆଇରନ ବୋଝେଇ ୧୪ ଚକିଆ ଟ୍ରକ ଚାପାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ, ବିନିଦା ଗ୍ରାମର ଯୁବକ ସନ୍ତୋଷ ଦେହୁରୀ (୨୫) ବୋଲି ଜଣାପଡିଛି ।
ବୁଧବାର ରାତି ପ୍ରାୟ ଆଠଟା ବେଳେ ଅଁରା ସ୍ଥିତ ଶ୍ରୀ ମେଟାଲିକ ପ୍ଲାଣ୍ଟକୁ ଯାଉଥିବା OD 09 Z 1908 ନମ୍ବର ଆଇରନ ବୋଝେଇ ୧୪ ଚକିଆ ଟ୍ରକ, ଜଣେ ବାଇକ ଆରୋହୀଙ୍କୁ ଚାପି ଦେବା ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜାଳି ଦେଇଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ବହୁ ସମୟ ଧରି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ପାଇଁ ଅଡ଼ି ବସିଥିଲେ।
ସଦର ଥାନା ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ବିଳମ୍ବିତ ରାତିରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରି ସଦର ଥାନା ପୋଲିସ ତଦନ୍ତ ଚଳାଇଛି।
