
ପାଟଣା/୦୨/୦୪ – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକରେ ଅଘଟଣ । ରାସ୍ତା କଡରେ ଛିଡା ହୋଇଥିବା ଏକ ବୋଲେରୋ ଗାଡ଼ି ବିନା ଚାଳକରେ ହଠାତ୍ ଗଡ଼ିବାକୁ ଲାଗିଲା । କେହି କିଛି ଭାବିବା ପୂର୍ବରୁ ବୋଲେରୋଟି ସିଧାଯାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକାଲ୍ସ ଦୋକାନ ଭିତରକୁ ପଶିଗଲା । ଯାହାଫଳରେ ବିଦ୍ୟୁତ ଉପକରଣ ଗୁଡ଼ିକ ଭାଙ୍ଗି ରୁଜ୍ଜି ନଷ୍ଟ ହୋଇଥିବା ଜଣା ପଡ଼ିଛି । ତେବେ ଦୋକାନ ମାଲିକ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ଆଜି ଅପରାହ୍ନରେ ବୋଲେରୋ ଗାଡ଼ି ରାସ୍ତା କଡ଼ରେ ଛିଡା ହୋଇଥିଲା । ହ୍ୟାଣ୍ଡ ବ୍ରେକ ଦିଆଯାଇ ନଥିବା ଯୋଗୁଁ ହଠାତ୍ ଗାଡ଼ିଟି ଗଡ଼ିଥିଲା । ପାଖାପାଖି ୨୦୦ ମିଟର ଗଡ଼ି ରାସ୍ତାକଡ଼ରେ ଥିବା ବିଦ୍ୟୁତ ସରଞ୍ଜାମ ଦୋକାନ ଭିତରକୁ ମାଡ଼ିଯାଇ ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଫଳରେ ଦୋକାନରେ ରଖାଯାଇଥିବା ଅନେକ ସାମଗ୍ରୀ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ତେବେ ଦୋକାନ ମାଲିକ ସଞ୍ଜୟ ବାରିକ୍ ଅଳ୍ପକେ ବର୍ତ୍ତିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।