
ଏପ୍ରିଲ ୨ ତାରିଖ ଠାରୁ ସକାଳୁଆ ସ୍କୁଲ, ମେ” ୬ରୁ ଜୁନ ୧୭ ପର୍ଯ୍ୟନ୍ତ ଖରା ଛୁଟି ।
ଭୁବନେଶ୍ବର/୩୧/୦୩ – ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ହେତୁ ରାଜ୍ୟ ସରକାର ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟ ଗୁଡ଼ିକରେ ସକାଳୁଆ ସ୍କୁଲ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ।
ଗତ କିଛି ଦିନ ହେଲା ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। କେତେକ ସ୍ଥାନରେ ପାରଦ ୪୧ ଡିଗ୍ରୀ ପାର୍ କରିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୧ଟା ବେଳକୁ ଉତ୍ତାପ ବୃଦ୍ଧି ପାଇବା ସହ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଲୋକେ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି।
ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଏହି କ୍ୟାଲେଣ୍ଡରରେ ଛୁଟି ବିବରଣୀ ପ୍ରକାଶ ପାଇଛି । ୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଥିବା ବେଳେ, ମେ’ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ବୋଲି ଏଥିରେ ଉଲ୍ଲେଖ ରହିଛି ।