
ଜନ୍ମଦିନରେ ଅନଲାଇନ୍ କେକ୍ ଅର୍ଡର କରିବା ହେଲା କାଳ; କେକ୍ ଖାଇ ଚାଲିଗଲା ଝିଅର ଜୀବନ ।
ପଟିଆଲା/୩୧/୦୩ – ପଞ୍ଜାବର ପଟିଆଲାରେ କେକ୍ ଖାଇବା ପରେ ଜଣେ ୧୦ ବର୍ଷୀୟ ଝିଅର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଦୁଃଖଦ ଘଟଣା ଘଟିଛି ପଞ୍ଜାବର ପଟିଆଲା ଅଞ୍ଚଳରେ । ବର୍ଥ କେକ୍ ଖାଇବା ପରେ ପରିବାରର ଅନ୍ୟ ୪ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡ଼ି ଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରବିବାର ମାର୍ଚ୍ଚ ୨୪ରେ ୧୦ ବର୍ଷର ଝିଅ ମାନଭୀଙ୍କ ଜନ୍ମଦିନ ଥିଲା । ବର୍ଥଡେ ପାଳିବା ପାଇଁ ପରିବାର ପକ୍ଷରୁ ଏକ ଅନଲାଇନ୍ ଫୁଡ୍ ଏଗ୍ରିଗେଟର୍ ଆପ୍ ଜରିଆରେ କେକ୍ ଅର୍ଡର କରିଥିଲେ । କେକ୍ ଆସିବା ପରେ ସନ୍ଧ୍ୟାରେ କେକ୍ କାଟିଥିଲେ ମାବଭୀ । ସମସ୍ତେ ଆନନ୍ଦରେ କେକ୍ ଖାଇ ସେଳିବ୍ରେଶନ କରିଥିଲେ । ଏହା ପରେ ରାତିରେ ମାନଭୀ ଓ ତାଙ୍କ ଭଉଣୀ ବାନ୍ତି କରିବା ଆରମ୍ଭ କରିଥିଲେ । ଧିରେ ଧିରେ ପୁରା ପରିବାରର ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଲାଗିଲା। ମାନଭୀ ବାନ୍ତି କରିବା ପରେ ରାତିରେ ଶୋଇ ପଡ଼ିଥିଲେ। ତେବେ ସକାଳ ୪ ଟାରେ ତାଙ୍କ ଶରୀର ଥଣ୍ଡା ପଡ଼ି ଯାଇଥିଲା ।
ଏହା ପରେ ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାନଭୀଙ୍କ ଭଉଣୀ ବାନ୍ତିରେ କେକ୍ ବାହାର କରିଦେଇଥିବାରୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି, ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ଆକ୍ସନକୁ ଓହ୍ଲାଇଛି । ଆଇପିସିର ଧାରା ୨୭୩ ଏବଂ ୩୦୪ (କ) ଅନୁଯାୟୀ ବେକେରୀ ଦୋକାନ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।