ଦେଶ

ଉତ୍ତର ପ୍ରଦେଶ ମେରଟରେ ଦୁଃଖଦ ଘଟଣା; ମୋବାଇଲ୍ ବିସ୍ଫୋରଣ ଯୋଗୁଁ ଗୋଟିଏ ପରିବାରର ସମସ୍ତ ୪ ଶିଶୁଙ୍କ ମୃତ୍ୟୁ । ବାପା ମା’ ଗୁରୁତର

ମେରଟ/୨୪/୦୩ – ଉତ୍ତର ପ୍ରଦେଶ ମେରଟ ପଲ୍ଲବପୁରମ୍ ଥାନାଞ୍ଚଳର ଜନତା କଲୋନୀରେ ଘଟିଛି ଦୁଃଖଦ ଘଟଣା । ଘର ଭିତରେ ମୋବାଇଲ୍ ଫୋନ୍ ବିସ୍ଫୋରଣ ଫଳରେ ଅଗ୍ନିକାଣ୍ଡ ଘଟି ୪ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ, ବାପା ଏବଂ ମା’ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ପୁରା ପରିବାର ଘରେ ଉପସ୍ଥିତ ଥିଲାବେଳେ, ଚାର୍ଜିଂରେ ଲାଗିଥିବା ଦୁଇଟି ମୋବାଇଲରେ ବିସ୍ଫୋରଣ ହୋଇଥିଲା। କିଛି ସେକେଣ୍ଡ ମଧ୍ୟରେ ନିଆଁ ସାରା ଘରେ ବ୍ୟାପିଗଲା । ଦେଖୁ ଦେଖୁ ନିଆଁ ଘରର ପରଦା ଏବଂ ବେଡକୁ ବ୍ୟାପିଯାଇଥିଲା । ବେଡ଼ରେ ଫମ୍ ଗଦି ଥିବାରୁ ସେଥିରେ ନିଆଁ ଲାଗିବା ଫଳରେ ପିଲାମାନେ ସେଥିରେ ସଟି ଯାଇଥିଲେ । ବାପା ମାଆ ଏବଂ ପିଲାମାନେ କିଛି ବୁଝିବା ବେଳକୁ ବହୁତ ଡେରି ହୋଇଯାଇଥିଲା । ଘର ଭିତରେ କେହି ଭାବିବାକୁ ସମୟ ପାଇଲେ ନାହିଁ ଏବଂ ସମସ୍ତେ ଜଳିବାକୁ ଲାଗିଲେ । କୁହାଯାଉଛି ଯେ, ମୋବାଇଲ୍ ଚାର୍ଜରରେ ସର୍ଟ ସର୍କିଟ ହେବା କାରଣରୁ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।

କୌଣସି ପ୍ରକାରେ ପୁରା ପରିବାରକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧିନ ଅବସ୍ଥାରେ ସମସ୍ତ ଚାରି ପିଲା, ଜଣକ ପରେ ଜଣେ ମୃତ୍ୟୁ ବରଣ କରିଥିଲେ।  ମୃତ ଶିଶୁଙ୍କ  ମଧ୍ୟରେ ଦୁଇ ଝିଅ ୧୨ ବର୍ଷର ସାରିକା, ୮ ବର୍ଷିୟା ନିହାରିକା ଏବଂ ଦୁଇ ପୁଅ ୬ ବର୍ଷିୟ ଗୋଲୁ ଏବଂ ୫ ବର୍ଷ ବୟସ୍କ କାଲୁ ବୋଲି ପରିଚୟ ମିଳିଛି ।

ସେପଟେ ବାପା ଜନିଙ୍କ ଅବସ୍ଥା ବର୍ତ୍ତମାନ ବିପଦ ମୁକ୍ତ ଥିବା କୁହାଯାଉଥିବାବେଳେ, ମା’ ବାବିତାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ତେଣୁ ତାଙ୍କୁ ଦିଲ୍ଲୀ AIIMS କୁ ରେଫର୍ କରାଯାଇଛି । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

Show More

Related Articles

Back to top button