
ଚମ୍ପୁଆରେ ଡବଲ ମର୍ଡର : ନିଜ ଜନ୍ମକଲା ବାପା, ମା’ଙ୍କୁ ଟାଙ୍ଗିଆରେ ହାଣିଲା ନୃଶଂସ ପୁଅ
ଚମ୍ପୁଆ/୨୪/୦୩ – ଚମ୍ପୁଆ ଥାନା,କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଡବଲ ମର୍ଡର । ନିଜ ଜନ୍ମକଲା ବାପା ଏବଂ ମା’ଙ୍କୁ ଟାଙ୍ଗିଆରେ ହାଣିଲା ନୃଶଂସ ପୁଅ । ସୂଚନା ଅନୁସାରେ, ଆଜି ସକାଳ ୭ ଟାରୁ ୮ ଟା ମଧ୍ୟରେ ଏହି ନାରକୀୟ ଘଟଣା ଘଟିଛି । କୌଣସି ଏକ କାରଣକୁ ନେଇ ପୁଅ ଧ୍ୟାନ ମୁଣ୍ଡା ଘର ଅଗଣାରେ ହଠାତ୍ ବାପା ଗୁରୁ ଚରଣ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲା । ପ୍ରଥମେ କାଠ ଫାଳିଆ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏହା ଦେଖି ମା’ପାଲୀ ମୁଣ୍ଡା ପ୍ରତିବାଦ କରିବାରୁ ସେ ତାଙ୍କୁ ମଧ୍ୟ ଟାଙ୍ଗିଆ ଚୋଟ ମାରିବାକୁ ପଛାଇ ନଥିଲା । ତେବେ ପୁରା ଘଟଣା, ହତ୍ୟାକାଣ୍ଡ ଭିଆଇଥିବା ଧ୍ୟାନ ମୁଣ୍ଡାଙ୍କ ଦୁଇ ନା ବାଳକ ଦେଖିଥିଲେ ।ଘଟଣା ସ୍ଥଳରେ ହିଁ ବାପା ଗୁରୁ ଚରଣ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲାବେଳେ, ମା’ ପାଲୀ ମୁଣ୍ଡାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଖବର ପାଇ ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅ ଧ୍ୟାନ ମୁଣ୍ଡାକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ୍ କରିଛି । ଚମ୍ପୁଆ ଏସଡିପିଓ, ଆଇଆଇସି ଘଟଣାର ଅନୁସନ୍ଧାନ କରୁଥିବାବେଳେ, ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ମଧ୍ୟ ନିଆଯାଇଛି ।
ସେପଟେ ଗ୍ରାମବାସୀଙ୍କ କହିବା କଥା, ଧ୍ୟାନ ମୁଣ୍ଡାଙ୍କୁ ତାଙ୍କ ସ୍ତ୍ରୀ ଛାଡ଼ି ଚାଲିଗଲା ପରେ ସେ ମାନସିକ ଅବସାଦରେ ରହୁଥିଲେ । ଅଧିକାଂଶ ସମୟ ସେ ନୀରବ ମଧ୍ୟ ରହୁଥିଲେ ।
ଏହି ଘଟଣା ପରେ ବସିରା ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ୍ ମୃତ ଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରୀ ରଖିଛି ।
