କେନ୍ଦୁଝରଜିଲ୍ଲା

ଏକା ନମ୍ବର ଥିବା ଦୁଇଟି ଟ୍ରକ ଜବତ୍ ଘଟଣା : ତଦନ୍ତ ପରେ ନକଲି ନମ୍ବର ଥିବା ଟ୍ରକ୍ ଜବତ୍, ଡ୍ରାଇଭର ଗିରଫ୍

ପାଟଣା/୨୩/୦୩ – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଂଚଳରେ ଏକା ନମ୍ବରରେ ଥିବା ଦୁଇଟି ଟ୍ରକ ଜବତ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ନକଲି ନମ୍ବର ବ୍ୟବହୃତ ଟ୍ରକ୍ ଡ୍ରାଇଭରକୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ଡ୍ରାଇଭର ଜଣକ ହେଲେ ବିହାର ରାଜ୍ୟ ନୱାଦା ଜିଲ୍ଲା ଗୋବିନ୍ଦପୁର ଥାନା ପାଥଲଛଟି ଗ୍ରାମର ଅଶୋକ କୁମାର ପ୍ରସାଦ ।

ସୂଚନା ଅନୁସାରେ ଜେ,ସି,ବି ମେସିନ ସରଞ୍ଜାମ ବୋଝେଇ କରି WB 11 D 0546 ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ କଲିକତାରୁ ରାୟପୁର ଅଭିମୂଖେ ଯାଉଥିଲା । ଏହି ଟ୍ରକର ଡ୍ରାଇଭର ଜାହାଙ୍ଗୀର ଆନସାରୀ ତୁରୁମୁଙ୍ଗା ବଜାର ଉପରେ ଗାଡି ଛିଡାକରି ଜଳଖିଆ ଖାଇବା ସମୟରେ ସମାନ ନମ୍ବର ଥିବା ଆଉ ଏକ ଦଶ ଚକିଆ ଟ୍ରକକୁ ସେଠାରେ ଦେଖିବାକୁ ପାଇଥିଲେ । ଏକା ନମ୍ବର ଥିବା ଟ୍ରକ ଦେଖି ତାଙ୍କୁ ସନ୍ଦେହ ହୋଇଥିଲା । ଅନ୍ୟ ଟ୍ରକଟି ତରଭୁଜ ବୋଝେଇ କରି ମହାରାଷ୍ଟ୍ରରୁ କଲିକତାକୁ ଯାଉଥିଲା । ଏନେଇ ଡ୍ରାଇଭର ଜାହାଙ୍ଗୀର ନିଜ ଟ୍ରକ୍ ମାଲିକ ବାବୁଲାଲ ଶର୍ମାଙ୍କୁ ଜଣାଇଥିଲେ । ମାଲିକ ତାଙ୍କୁ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ କହିବା ପରେ ଡ୍ରାଇଭର ଜାହାଙ୍ଗିର ଆନସାରୀ ତୁରୁମୁଙ୍ଗା ଥାନାରେ ଜଣାଇଥିଲେ। ସୂଚନା ପାଇବାପରେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ଟି ଯାକ ଟ୍ରକକୁ ଜବତ୍ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ଦୁଇଟି ଟ୍ରକର ଫାଷ୍ଟଟାଗ ଏକାଉଣ୍ଟରେ ଭିନ୍ନ ଭିନ୍ନ ନମ୍ବର ଥିବା ଜଣା ପଡିଥିବାବେଳେ ତରଭୁଜ ବୋଝେଇ ଟ୍ରକଟି ନକଲି ନମ୍ବରର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏ ସଂକ୍ରାନ୍ତରେ ତୁରୁମୁଙ୍ଗା ଥାନାରେ ୧୨୯/୨୪ ରେ ଏକ ମାମଲା ରୁଜୁ କରି ଏସ୍,ଆଇ ତାପସ କୁମାର ଦାସ ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ଉକ୍ତ ଗାଡିରେ  ଯାଉଥିବା  ତରଭୁଜ ନେବା ଲୋକକୁ ପୋଲିସ ହସ୍ତାନ୍ତର କରିଛି । ଅନ୍ୟପଟେ ବର୍ଷ ବର୍ଷ ଧରି ପରିବହନ ବିଭାଗ ଏବଂ ପୋଲିସକୁ ଚକମା ଦେଇ ଜାତୀୟ ରାଜପଥରେ କିପରି ନକଲି ନମ୍ବର ଲଗାଇ ଟ୍ରକ୍ ଚାଲୁଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତେବେ ଜବତ ଗାଡିର ପ୍ରକୃତ ନମ୍ବର କେତେ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି ।

Show More

Related Articles

Back to top button