

ଚମ୍ପୁଆ/୨୩/୦୩ – ଚମ୍ପୁଆ ଥାନା, ୫୨୦ ନମ୍ବର ଜାତୀୟ ରାଜପଥ ତଡୁଆବାହାଳ ନିକଟରେ ହୁତୁହୁତୁ ହୋଇ ଜଳିଗଲା ୧୪ ଚକିଆ ଟ୍ରକ୍ । ଓଡି ୦୯ ପି ୧୦୫୦ ନମ୍ବର ଥିବା ଏହି ଟ୍ରକଟି ଯୋଡ଼ା ପଟୁ ରିମୁଳି ରାସ୍ତାରେ ଯିବାବେଳେ, ତଡୁଆବାହାଳ ରାସ୍ତା କଡ଼ରେ ଗାଡ଼ିକୁ ଛିଡା କରି ଡ୍ରାଇଭର ଶୌଚ ପାଇଁ ଯାଇଥିଲେ । ତେବେ ଏହି ସମୟରେ ହଠାତ୍ ଗାଡ଼ିର କେବିନରୁ ଧୂଆଁ ବାହାରିବା ସହ ନିଆଁ ଲାଗି ହୁତୁହୂତୁ ହୋଇ ଜଳିବାକୁ ଲାଗିଥିଲା । ନିଆଁ ଲାଗିବାନେଇ ଡ୍ରାଇଭର ଜାଣିବା ପରେ ଅନ୍ୟମାନଙ୍କ ସହାୟତାରେ ନିକଟସ୍ଥ ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ସୂଚନା ପାଇ ଚମ୍ପୁଆ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ଟ୍ରକର କ୍ୟାବିନ୍ ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା । ତେବେ କେଉଁ କାରଣରୁ ଟ୍ରକରେ ନିଆଁ ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।