ବିଦେଶ

ରୁଷରେ ଆତଙ୍କୀ ହମଲା;  ମସ୍କୋର କନସର୍ଟ ହଲରେ ଆଖିବୁଜା ଗୁଳିମାଡ଼ ସହ ବିସ୍ଫୋରକ ଆକ୍ରମଣ,୭୦ ମୃତ । ନିଜକୁ ଦାୟୀ କଲା ଆତଙ୍କୀ ସଙ୍ଗଠନ ଆଇ ଏସ୍ ଆଇ ଏସ୍ ।

ମସ୍କୋ/୨୩/୦୩ – ରୁଷ୍ ର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ବଡ଼ ଧରଣର ଆତଙ୍କୀ ହମଲା । ଆଖିବୁଜା ଗୁଳିମାଡ଼ ସହ ଗ୍ରେନେଡ ଆକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ୟୁନିଫର୍ମରେ ୫ ଜଣ ଆତଙ୍କୀ କନସର୍ଟ ହଲରେ ପ୍ରବେଶ କରିଥିଲେ । ଏଥିସହ ଆତଙ୍କବାଦୀମାନେ ହଲରେ ଆଖିବୁଜା ଗୁଳି ମାଡ଼ କରିବା ସହ ବିସ୍ଫୋରକ ବିସ୍ଫୋରଣ କରି ସେଠାରେ ଅଗ୍ନିକାଣ୍ଡ ଘଟାଇଥିଲେ। ବିସ୍ଫୋରଣ ପରେ ବିଲଡିଂରେ ନିଆଁ ଲାଗି ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି।  ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରୁଷୀୟ ନ୍ୟାସନାଲ ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ମୁକାବିଲା ପାଇଁ ମୋର୍ଚ୍ଚା ସମ୍ଭାଳିଛନ୍ତି । ଏହି ଅପରେସନରେ ହେଲିକପ୍ଟରର ସହାୟତା ମଧ୍ୟ ନିଆଯାଉଛି । ଘଟଣାସ୍ଥଳରୁ ୫୦ ରୁ ଅଧିକ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି ।

ରୁଷର ଗଣମାଧ୍ୟମ ଅନୁଯାୟୀ, ଋଷର ପ୍ରସିଦ୍ଧ ରକ୍ ବ୍ୟାଣ୍ଡ୍ ‘ପିକନିକ୍’ର ଏକ କନ୍ସର୍ଟରେ ଯୋଗଦେବା ପାଇଁ କ୍ରୋକସ୍ ସିଟି ହଲରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ହଲରେ ପ୍ରବେଶ କରି ଅତର୍କୀତ ଭାବରେ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ସହ ବିସ୍ଫୋରଣ ଘଟାଇଥିଲେ।  

ରିପୋର୍ଟ ଅନୁଯାୟୀ, ରୁଷ ର ଜରୁରୀକାଳୀନ ସେବା ମନ୍ତ୍ରଣାଳୟ କହିଛି ଯେ, ଗୁଳି ବିନିମୟ ପରେ ପ୍ରାୟ ୧୦୦ ଲୋକ ଥିଏଟରର ତଳ ମହଲାରୁ ଖସି ପଳାଇବାରେ ସଫଳ ହୋଇଥିବାବେଳେ ଅନ୍ୟମାନେ ଛାତରେ ଲୁଚି ରହିଥିଲେ। ଏହି ବିବୃତ୍ତିରେ କୁହାଯାଇଛି ଯେ ରକ୍ ବ୍ୟାଣ୍ଡର ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ରୁଷର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖରୋଭା ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ଏହି ଘୃଣ୍ୟ ଅପରାଧକୁ ନିନ୍ଦା କରିବା ଉଚିତ୍।  ମସ୍କୋ ମେୟର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରୁଷର ସୁରକ୍ଷା ଏଜେନ୍ସିଗୁଡ଼ିକ ମସ୍କୋର ବିମାନବନ୍ଦର ଏବଂ ରେଳ ଷ୍ଟେସନ ଗୁଡ଼ିକରେ ସୁରକ୍ଷା ବଢାଇଛନ୍ତି।

ଆତଙ୍କବାଦୀ ସଂଗଠନ ଆଇ ଏସ୍ ଆଇ ଏସ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ସୋସିଆଲ ମିଡିଆରେ ପୋଷ୍ଟକରି ଦାବି କରିଛି।

Show More
Back to top button