
ଆରପାରିରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।
ଭୁବନେଶ୍ୱର/୨୨/୦୩ – ପରଲୋକରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ଗତ ୧୮ ତାରିଖରୁ ଦାମ ଅସୁସ୍ଥ ହୋଇପଡ଼ିଥିଲେ । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ତାଙ୍କର ବ୍ରେନ୍ ଡେଡ୍ ହେବା ପରେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା ।
ଓଡ଼ିଶା ରାଜନୀତି ଇତିହାସରେ ଜଣେ ଅଭିଜ୍ଞ ରାଜନୀତିଜ୍ଞ ଥିଲେ ଦାମ ରାଉତ । ଡାକ୍ତର ଦାମୋଦର ରାଉତ ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମହିମାଦେଇପୁର ଅଧୀନ ମାଳିପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟ ରାଜନୀତିରେ ସେ ୭ ଥର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।
ଦେହାନ୍ତ ପରେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ସ୍ଥିତ ବାସଭବନକୁ ନିଆଯାଇଛି । ସେଠାରେ ତାଙ୍କୁ ବିଭିନ୍ନ ରାଜନୈତିକ ଦଳର ନେତା, ଶୁଭେଚ୍ଛୁ ଓ ପ୍ରଶଂସକମାନେ ଶେଷ ଦର୍ଶନ କରିଛନ୍ତି ।
ଦାମଙ୍କ ବିୟୋଗରେ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦାମଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି । ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
