
ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ।
ଭୁବନେଶ୍ୱର/୨୧/୦୩ – ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ । ଗତ ୧୮ ତାରିଖରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ହୃଦଘାତ ପରେ ଦାମୋଦର ରାଉତଙ୍କ ବ୍ରେନ୍ ଡେଡ୍ ହୋଇଥିବା ସୂଚନା ମିଳିଛି। ସେ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି ।
ସୂଚନା ଅନୁଯାୟୀ, ଗତ ୧୮ ତାରିଖ ରାତିରେ ଦାମୋଦର ରାଉତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସା ସମୟରେ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଭର୍ତ୍ତି କରାଯାଇଥିଲା ।
୧୯୪୨ ମସିହାର ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିବା ଦାମୋଦର ରାଉତ ଓଡ଼ିଶା ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ସେ ବିଜୁ ପଟ୍ଟନାୟକଙ୍କ ଅତି ଘନିଷ୍ଠ ଥିଲେ । ସେ ସାତ ଥର ବିଧାୟକ ଭାବରେ ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ ମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଛନ୍ତି ।