
ଦୁଷ୍କର୍ମକାରୀ ଓ ସାବତ ଆଈକୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ।
କେନ୍ଦୁଝର/୨୦/୦୩ – କେନ୍ଦୁଝର, ଯୋଡ଼ାରେ ଜନୈକା ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଦୁଷ୍କର୍ମକାରୀ ଓ ଦୁଷ୍କର୍ମକାରୀକୁ ସାହାଯ୍ୟ କରିଥିବା ପୀଡ଼ିତାଙ୍କ ସାବତ ଆଈ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭାୟଙ୍କୁ ୩୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଜଜ୍ ତଥା ପକ୍ସୋ ସ୍ପେଶଲ୍ ଜଜ୍ । ଏଥିସହ ଦୁଷ୍କର୍ମକାରୀକୁ ୩୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅତିରିକ୍ତ ୩ ବର୍ଷ କାରାଦଣ୍ଡ ଏବଂ ସାବତ ଆଈକୁ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୨ ବର୍ଷ ସଶ୍ରମ ଦଣ୍ଡାଦେଶ ଦିଆଯାଇଛି । ଏଥିସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଆଦେଶ ଦିଆଯାଇଛି ।
୨୦୧୮ ମସିହା ଯୋଡ଼ା ଥାନା ଅଞ୍ଚଳରେ ଘଟିଥିଲା ଘଟଣା। ଯୋଡ଼ା କଣ୍ଟ୍ରାକ୍ଟର କଲୋନୀରେ ପୀଡିତା ନାବାଳିକା ଜଣକ ସାବତ ଆଈ ଅମିତା କାରୁଆଙ୍କ ସହ ରହୁଥିଲେ । ହନୁମାନ ହଟିଙ୍ଗ ଅଞ୍ଚଳର ସହାଦତ୍ ଅଲ୍ଲୀ ଅମିତା କାରୁଆଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲେ । ଅଭିଯୋଗ ହୋଇଥିଲା ଯେ, ୨୦୧୮ ମସିହା ଜୁନ୍ ୨୨ ତାରିଖ ଠାରୁ ସାବତ ଆଈର ସହଯୋଗରେ ନାବାଳିକାଙ୍କ ସହ କ୍ରମାଗତ ଭାବରେ ଦୁଷ୍କର୍ମ କରିଆସୁଥିଲା ସହାଦତ୍ । ଦୁର୍ଗାପୂଜା ସମୟରେ ନାବାଳିକାଙ୍କ ମା’ ଯେତେବେଳେ ଝିଅକୁ ଦେଖା କରିବାକୁ ଆସିଥିଲେ ସାବତ ଆଈ ଦେଖା କରିବାକୁ ଦେଇ ନଥିଲେ । ଶେଷରେ ନାବାଳିକାଙ୍କ ମାମୁଁ ଆସି ତାଙ୍କୁ ସାଥିରେ ଘରକୁ ନେଇଯିବା ପରେ ସମସ୍ତ ଘଟଣା ଜଣାପଡିଥିଲା । ଏ ନେଇ ନାବାଳିକାଙ୍କ ମାମୁଁ ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଯୋଡା ଥାନାରେ ଲିଖିତ ଆଭିଯୋଗ କରିଥିଲେ । ପୋଲିସ୍ ଘଟଣାର ତଦନ୍ତ କରି ୨୮ ତାରିଖରେ ସହାଦତ୍ ଅଲ୍ଲୀ ଓ ପୀଡିତାଙ୍କ ସାବତ ଆଈ ଅମିତା କାରୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହି ଘଟଣାରେ ୨୦ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଜଜ୍ ତଥା ପକ୍ସୋ ସ୍ପେଶଲ୍ ଜଜ୍ ଏହି ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରିଥିଲେ ।