ରାଜ୍ୟ

ଆଜି ବିଶ୍ୱ ପଖାଳ ଦିବସ; ସବୁଠି ମହକିଲା ପଖାଳ କଂସାର ବାସ୍ନା ।

ଭୁବନେଶ୍ୱର/୨୦/୦୩ – ଆଜି ବିଶ୍ବ ପଖାଳ ଦିବସ । ଦେଶ ବିଦେଶରେ ପାଳନ ହୋଇଛି ବିଶ୍ୱ ପଖାଳ ଦିବସ । ପଖାଳ ଖାଇ, ପଖାଳ ଦିବସର ମଜା ନେଇଛନ୍ତି ଓଡ଼ିଆ, ଅଣ ଓଡ଼ିଆ ଓ ବିଦେଶୀ । ପ୍ରତିଟି ଓଡ଼ିଆଙ୍କ ଅତି ପରିଚିତ ଖାଦ୍ୟ ହେଉଛି ପଖାଳ। ଗରୀବ ହୁଅନ୍ତୁ ଅବା ଧନୀ ସମସ୍ତଙ୍କ ପ୍ରିୟ ଏହି ଖାଦ୍ୟ । ବିଶେଷ କରି ଖରା ଦିନରେ ଯେତେ ଯାହା ଖାଇଲେ ବି ପଖାଳ ମୁଠେ ଖାଇ ଦେଲେ ମନକୁ ଶାନ୍ତି ମିଳେ ।

ଆଜି ବିଶ୍ୱ ପଖାଳ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଜମିଥିଲା ପଖାଳର ଆସର । ଲୋକେ ସୁସ୍ୱାଦୁ ବ୍ୟଞ୍ଜନ ସହ ପଖାଳର ମଜା ନେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ବ୍ୟଞ୍ଜନ ସହ ପଖାଳର ମଜା ନେଇଛନ୍ତି ଓଡ଼ିଆ । ଘର ଠାରୁ ଅଫିସ, ରାସ୍ତା କଡ଼ ଢାବାରୁ ବାତାନୁକୁଳିତ ରେଷ୍ଟୁରାଣ୍ଟ, ସବୁଠି ଜମିଥିଲା ପଖାଳ କଂସାର ଆସର ।

ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର ।  କୋଟି ଓଡିଆଙ୍କ ଭାବାବେଗ ସହ ଜଡ଼ିତ ଏହି ପଖାଳ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ଯ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ଏହା କେବଳ ଆମ ପାଇଁ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ ।

ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ପଖାଳ ଖାଇ ଏହି ଦିନକୁ ପାଳନ କରିଥାନ୍ତି । ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ ।

ସଜ ପଖାଳ ହେଉ କି ବାସି ପଖାଳ ହେଉ କି ଛୁଙ୍କ ପଖାଳ ସବୁଥିରେ ରହିଛି ନିଆର ସ୍ୱାଦ। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଇତ୍ୟାଦି ପକାଯାଇଥାଏ । ପଖାଳ ସହିତ ଶାଗ, ବଡ଼ିଚୁରା, ବିଭିନ୍ନ ପ୍ରକାର ଭଜା,  ଆଳୁଚଟଣୀ, ପିଠୋଉ ଦିଆ କଖାରୁ ଫୁଲ ପିଠା, ଆମ୍ୱ ଚଟଣି, ଛତୁଭଜା, ସଜନା ଛୁଇଁ ବେସର, ଦେଶୀ ପିଆଜ ଓ କାକୁଡ଼ି ଭଳି ଆଇଟମ୍। ପତର ପୋଡ଼ା, ଶୁଖୁଆ, ମାଛ ଭଜା, ଚୁନାମାଛ, ଅଣ୍ଡା ଆମଲେଟ ପରି ଅନେକ ବ୍ୟଞ୍ଜନ କରି ଲୋକେ  ଖାଆନ୍ତି। ପଖାଳ ଖାଇ ସାରି ତୋରାଣି ମୁନ୍ଦେ ପିଇଦେଲେ ମନକୁ ଶାନ୍ତି ମିଳିଥାଏ। ଏହାର ଲୋକପ୍ରିୟତା ଏତେ ବଢ଼ିଛି ଯେ ବର୍ତ୍ତମାନର ଯୁବା ପୀଢ଼ି ଅତ୍ୟାଧୁନିକ ଖାଦ୍ୟ ପ୍ରତି ରୂଚି ରଖୁଥିଲେ ବି ପଖାଳ ତା’ର ସତ୍ତା କି ମହକ ହରାଇନାହିଁ।

ଗତ ୨ ଦିନ ଧରି ପାଗ ଖରାପ ଥିବାରୁ ଆଜି ପଖାଳ ଦିବସ ଟିକେ ଧୀମା ପଡ଼ିପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା । ବିଭିନ୍ନ ସଙ୍ଗଠନ ଗୁଡ଼ିକ ତରଫରୁ ପଖାଳ ଦିବସ ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ, ଏହାକୁ ନେଇ ଉତ୍ସାହ କମ୍ ହୋଇ ନଥିଲା। ପଖାଳ ଦିବସ ପାଳନ ନିମନ୍ତେ ଚାଳିଆ ହୋଟେଲଠୁ ଆରମ୍ଭ କରି ତାରକା ହୋଟେଲରେ ବି ସ୍ୱତନ୍ତ୍ର ଆୟୋଜନ ହୋଇଥିଲା । ଏଥିନିମନ୍ତେ ଲୋକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସୁକତା ଦେଖାଦେଇଥିଲା । ଲୋକେ ଆନନ୍ଦ ଉଦ୍ଦୀପନା ର ସହିତ ନିଜେ ପଖାଳର ମଜା ନେଇଥିଲା ବେଳେ, ଅନ୍ୟମାନଙ୍କୁ ଖୁଆଇ ଆତ୍ମସନ୍ତୋଷ ଲାଭ କରିଥିଲେ ।

କୁହାଯାଏ ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଫେସବୁକ୍ ଓ ଟୁଇଟରରେ ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି। ରାଜ୍ୟର ବିଭିନ୍ନ ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ମେନ୍ୟୁରେ ପଖାଳ କଂସକୁ ସାମିଲ କରିଛନ୍ତି । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଇବା ସହ ରୌଦ୍ରତାପରେ ମଧ୍ୟ ବୃଦ୍ଧି ଘଟିଥାଏ । ଶରୀରରୁ ଜଳୀୟ ଅଂଶ ମଧ୍ୟ କମିଥଏ  । ଏଣୁ ଉତ୍ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରି ଥାଆନ୍ତି, ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ । ତେଣୁ ୨୧ ମାର୍ଚ୍ଚ ମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ଅର୍ଥାତ୍ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

Show More

Related Articles

Back to top button