ଜିଲ୍ଲା

ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା । ରେଳ ସଂଯୋଗୀକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ ମାଲିକ ସଂଘ ।

କେନ୍ଦୁଝର/୧୮/୦୩ – କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ୨୪ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା । କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ  ଟ୍ରେନ ଲାଇନ ସଂଯୋଗୀକାରଣ ପ୍ରକଳ୍ପକୁ ବିରୋଧ କରି ଆଜି ସକାଳ ୬ ଟା ଠାରୁ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦେଇଛି ସଂଘ । ଆସନ୍ତାକାଲି ସକାଳ ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଜାରୀ ରହିବ । ଜିଲ୍ଲାର କେନ୍ଦୁଝର ଘଷିପୁରା , ଘଟଗାଁ, ତୁରୁମୁଙ୍ଗା, ତେଲକୋଇ, ଶୁଆକାଟି, ଝୁମ୍ପୁରା ଆଦି ଅଞ୍ଚଳରେ ସମସ୍ତ ଯାନ ବାହାନ ଦୋକାନ ବଜାର ସଂପୂର୍ଣ୍ଣ  ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ , କ୍ଷୀର ଗାଡି, ଔଷଧ ଦୋକାନ ଆଦି ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।

ଆଜି ସକାଳୁ ସକାଳୁ ଶହ ଶହ ଟ୍ରକ ମାଲିକ ମାନେ କେନ୍ଦୁଝରଗଡ ରେଳ ଷ୍ଟେସନ ଠାରେ ପିକେଟିଂ କରୁଥିବାରୁ ସକାଳ ୬ ଟା ରେ ଛାଡ଼ିବାକୁ ଥିବା କେନ୍ଦୁଝରଗଡ- ଖୋର୍ଦ୍ଧା ରୋଡ଼ ପାସେଞ୍ଚର ଓ ମାଲବାହୀ ଟ୍ରେନ କେନ୍ଦୁଝରଗଡ ଷ୍ଟେସନ ଠାରେ ଦୀର୍ଘ ୬ ଘଣ୍ଟା ଧରି ଆଟକି ରହିଥିଲା । ଏହା ପରେ କେନ୍ଦୁଝର ଏସ୍ ପି ଷ୍ଟେସନ ଠାରେ ପହଞ୍ଚି ଟ୍ରକ ମାଲିକ ମାନଙ୍କ ସହ ଆଲୋଚନା କରିବାପରେ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ଆନୁସଙ୍ଗିକ ସୁବିଧା ନଥିବାରୁ ମାନବିକତା ଦେଖାଇ ଟ୍ରକ ମାଲିକମାନେ ଦିନ ୧୨ ଟା ସମୟରେ  କେନ୍ଦୁଝରଗଡ- ଖୋର୍ଦ୍ଧା ରୋଡ ପାସେଞ୍ଜର ଟ୍ରେନକୁ ଛାଡ଼ିଦେବା ସହ ଏହି ଷ୍ଟେସନ ଦେଇ ଯା-ଆସ କରୁଥିବା ସମସ୍ତ ପାସେଞ୍ଜର ଟ୍ରେନକୁ ବନ୍ଦରୁ ବାଦ ଦେଇ କେବଳ ମାଲବାହୀ ଟ୍ରେନକୁ ଅଟକ ରଖାଯିବାର ନିଷ୍ପତି ନେଇଥିଲେ ।


ଜିଲ୍ଲା ଦେଇ ଯାଇଥିବା ୪୯ ଓ ୨୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଟ୍ରକ ମାଲିକମାନେ ପିକେଟିଂ କରିଛନ୍ତି, ଫଳରେ ଶହ ଶହ ସଂଖ୍ୟାରେ ଯାନ ବାହାନ ରାସ୍ତାରେ ଅଟକି ରହିଛି । ଏପରିକ ରାସ୍ତାରେ ଅଟକି ରହିଥିବା ଯାନବାହାନର ଡ୍ରାଇଭରମାନଙ୍କ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ ଟ୍ରକ ମାଲିକ ସଂଘ ପକ୍ଷରୁ କରାଯାଇଥିବା ସଂଘ୍ ପକ୍ଷରୁ ସୂଚନା ଦିଆଯାଇଛି । ସହରର ସମସ୍ତ ବ୍ୟାଙ୍କ, ଦୋକାନ ବଜାର, ପରିବା ବଜାର, ପେଟ୍ରୋଲ ପମ୍ପ, ପରୀକ୍ଷା ନ ଥିବା ସରକାରୀ ଓ  ବେସରକାରୀ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ଥିବା ଦେଖିବାକୁ ମିଳିଛି । ସେପଟେ ଏହି ବନ୍ଦକୁ ଘରୋଇ ବସ ସଂଘ ସମର୍ଥନ କରୁଥିବାରୁ ଜିଲ୍ଲାରେ ଯାତ୍ରୀବାହୀ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦରହିଛି । ଆହୁରି ମଧ୍ୟ ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟ ଗେଟ୍ ସମ୍ମୁଖରେ ଟ୍ରକ ମାଲିକମାନେ ପିକେଟିଂ କରୁଥିବା ସମୟରେ ମାନ୍ୟବର ଜିଲ୍ଲା ଜର୍ଜଙ୍କ ସହ ଅନ୍ୟାନ୍ୟ ଜର୍ଜମାନେ ସେଠାରେ ଆସି ପହଞ୍ଚିଥିଲେ । ଟ୍ରକ ମାଲିକମାନେ ମାନ୍ୟବର ଜର୍ଜମାନଙ୍କୁ ହାତ ଯୋଡି ନେହୁରା ହୋଇ ଆଜି ଦିନକ ପାଇଁ ବନ୍ଦ ଡାକରା ଦିଆଯାଇଥିବାରୁ କୋର୍ଟକୁ ନ ଯିବାକୁ ଗୁହାରି କରିଥିଲେ । ଏହା ପରେ ଜର୍ଜମାନେ କୋଟକୁ ନ ଯାଇ ଫେରିଯାଇଥିଲେ ।

ଏଠାରେ ସୁଚନା ଯୋଗ୍ୟ ଯେ, ଟ୍ରକ ମାଲିକମାନଙ୍କ କହିବା କଥା ଏହି ଟ୍ରକ ବ୍ୟବସାୟ ହେଉଛି ଜିଲ୍ଲାର ଭାତ ହାଣ୍ଡି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩ ଲକ୍ଷରୁ ଉର୍ଦ୍ଧ୍ବ ପରିବାର ଟ୍ରକ ବ୍ଯବସାୟ ଉପରେ ନିର୍ଭର କରି ଚଳନ୍ତି । ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ଲୋନ ଓ ଧାର୍ କରଜ କରି ଟ୍ରକ ଆଣି ପରିବାର ପ୍ରତିପୋଷଣ କରୁଛନ୍ତି । ଯଦି କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ରେଳ ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଯୋଗେ ଖଣିଜ ପଦାର୍ଥ ପରିବହନ ହୁଏ, ତେବେ ଏହି ଏହି ତିନି ଲକ୍ଷ ଲୋକଙ୍କର ଭାତ ହାଣ୍ଡି ଭୁଷୁଡି ପଡିବ ଓ ସେମାନଙ୍କ ପରିବାର ଭୋକ ଉପାସରେ ରହିବେ ଏବଂ ବିଚରା ଟ୍ରକ ମାଲିକଟି ଋଣ ଟଙ୍କା ଶୁଝି ପାରିବ ନାହିଁ । ତେଣୁ ସେମାନେ ଏହି ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଭାୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Show More

Related Articles

Back to top button