ଅପରାଧ

ବଡ଼ବିଲ ୟୁକୋ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ, କାଟି ପାରିଲେନି ଷ୍ଟ୍ରଙ୍ଗରୁମ୍ ।

ବଡ଼ବିଲ/୧୮/୦୩ – ପୋଲିସକୁ ଖୋଲା ଚାଲେଞ୍ଜ । ପୁଣି ଥରେ ବଡ଼ବିଲ ୟୁକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ । ଗତ ଶନିବାର ବିଳମ୍ବିତ ରାତିରେ ଏଲ ଆଇ ସି ବିଲ୍ଡିଂରେ ଥିବା ୟୁକୋ ବ୍ୟାଙ୍କର ପଛପଟ ଝରକା କାଟି ଦୃବୃର୍ତ୍ତମାମାନେ ଭିତରେ ପଶିବା ପରେ ପ୍ରଥମେ ଆଲାର୍ମ ସିଷ୍ଟମକୁ ଅଚଳ କରି  ସିସିଟିଭି ତାର ସବୁ କାଟି ଦେବା ସହ ଗୋଟିଏ ସିସିଟିଭି କ୍ୟାମେରା ମଧ୍ୟ ଖୋଲି ଦେଇଥିଲେ । ଏହାପରେ ଗ୍ୟାସ କଟର ସାହାଯ୍ୟରେ ଷ୍ଟ୍ରଙ୍ଗରୁମ୍ କାଟିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଦୃବୃର୍ତ୍ତ । ତେବେ ଟଙ୍କା ଲୁଟି ନପାରି ଗଲାବେଳକୁ ବ୍ୟାଙ୍କ୍ ଭିତରେ ଗ୍ୟାସ ପାଇପ୍ ଛାଡ଼ି ଯାଇଛନ୍ତି । ସେହିପରି ପଛପଟେ କଟାଯାଇଥିବା ଝରକା ପାଖରେ ଗୋଟିଏ ଲୁହାକଟା କରତ ଓ ଗୋଟିଏ ପେଚକସ୍ ଛାଡ଼ି ଯାଇଛନ୍ତି ଦୃବୃର୍ତ୍ତ । ଗତକାଲି ରବିବାର ବ୍ୟାଙ୍କ୍ ଛୁଟି ଥିବାରୁ ଆଜି ବ୍ୟାଙ୍କ୍ ଖୋଲିବା ପରେ ଲୁଟ ଉଦ୍ୟମ ହୋଇଥିବା ନେଇ ଜଣାପଡ଼ିଛି । ଆଜି ସକାଳୁ ଶାଖା ପ୍ରବନ୍ଧକ ସନ୍ଦୀପ ଶୁଭଙ୍କର ଜେନା ଓ ସହ ପ୍ରବନ୍ଧକ ବିଶ୍ଵନାଥ କୁମାର ବ୍ୟାଙ୍କ୍ ଖୋଲି ଭିତରେ ପ୍ରବେଶ କରିବା ପରେ ଘଟଣା ଜଣାପଡିଥିଲା । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଡିଭିଆରକୁ ଯାଞ୍ଚ କରିବାପରେ ଫୁଟେଜାରୁ ଜଣା ପଡ଼ିଛି ଯେ, ଶନିବାର ରାତି ୧୨ ଟା ରୁ ୧ ଟା ମଧ୍ୟରେ ଲୁଟ ଉଦ୍ୟମ ହୋଇଥିଲା । ୩ ଜଣ ମୁଖାପିନ୍ଧା ଦୃବୃର୍ତ୍ତ ବ୍ୟାଙ୍କ୍ ଭିତରେ ପଶିଥିବା ଫୁଟେଜରେ କଏଦ୍ ହୋଇଛି । ତେବେ ସେମାନେ ସିସିଟିଭି ତାରକୁ କାଟିବା ସହ କ୍ୟାମେରା ଓପାଡ଼ି ଦେଇଥିଲେ, ଯାହାଫଳରେ ପରବର୍ତ୍ତୀ ସମୟର ଫୁଟେଜ ରେକର୍ଡ ହୋଇ ନଥିଲା । ଆଲାର୍ମ ସିଷ୍ଟମ ତାରକୁ କାଟିବା ସହ ସେଥିରେ ଲାଗିଥିବା ଆଣ୍ଟିନାକୁ ମଧ୍ୟ ଓପାଡ଼ି ଦେଇଛନ୍ତି ଦୃବୃର୍ତ୍ତ । ଏନେଇ ବ୍ୟାଙ୍କ୍ ମ୍ୟାନେଜର ବଡ଼ବିଲ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମର ସହାୟତା ମଧ୍ୟ ନିଆଯାଇଛି ।

ଗତ ୫ ବର୍ଷ ମଧ୍ୟରେ ୟୁକୋ ବ୍ୟାଙ୍କ ବଡ଼ବିଲ ଶାଖାରୁ ଏହା ୨ୟ ଥର ପାଇଁ ଲୁଟ ଉଦ୍ୟମ ହୋଇଛି । ଗତ ୨୦୧୯ ରେ ମଧ୍ୟ ସମାନ ଢଙ୍ଗରେ ଶନିବାର ବିଳମ୍ବିତ ରାତିରେ ଝରକା ତାଡ଼ି ଷ୍ଟ୍ରଙ୍ଗରୁମ୍ କାଟିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଦୃବୃର୍ତ୍ତ ।

ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ୍ ଭିତରେ ସିସିଟିଭି ଓ ଆଲାର୍ମ ଲାଗିଥିବାବେଳେ, ରାତ୍ରୀ ଜଗୁଆଳୀ ପାଇଁ କୌଣସି ବ୍ୟବସ୍ଥା ନଥିବା କାରଣରୁ ଏହି ଘଟଣା ଘଟିଛି । ତେବେ ସେହି ସମାନ ଗ୍ୟାଙ୍ଗର ଏଥିରେ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସବୁଠାରୁ ବଡ଼ କଥା ହେଉଛି ଯେ, ବଡ଼ବିଲ ଏସ ଡି ପି ଓ ଅଫିସ ଠାରୁ
ମାତ୍ର ଅଳ୍ପ କେଇ ମିଟର ଦୂରତାରେ ଏଲ ଆଇ ସି ବିଲ୍ଡିଂରେ ୟୁକୋ ବ୍ୟାଙ୍କ ରହିଛି । ଏମିତିରେ ଏହା ପୋଲିସ୍ ପାଇଁ ଖୋଲାଖୋଲି ଚାଲେଞ୍ଜ ବୋଲି ଆଲୋଚନା ହେଉଛି ।

Show More

ସମ୍ବନ୍ଧୀୟ ଖବର

Back to top button