
ଆସନ୍ତାକାଲି ହେବ ଲୋକସଭା ନିର୍ବାଚନ ତାରିଖ ଘୋଷଣା । ଅପରାହ୍ନ ୩ ଟାରେ ଘୋଷଣା କରିବେ ନିର୍ବାଚନ ଆୟୋଗ ।

ନୂଆଦିଲ୍ଲୀ/୧୫/୦୩ – ମାର୍ଚ୍ଚ ୧୬ରେ ହେବ ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ଆସନ୍ତାକାଲି ଅପରାହ୍ଣ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ ।
ଆସନ୍ତାକାଲି ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ। ନିର୍ବାଚନ ଆୟୋଗର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେବ ବୋଲି ସୂଚନା ଦିଆଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ନବନିଯୁକ୍ତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ। ନିର୍ବାଚନ ଆୟୋଗର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ସିଧା ପ୍ରସାରଣ ହେବ। ସୂତ୍ରରୁ ଜଣାପଡିଛି ଯେ ସାତରୁ ଆଠଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରାଯିବ ।
ଗୁରୁବାର, ନୂତନ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପରେ ସେମାନେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶୁକ୍ରବାର ସକାଳେ ଉଭୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ସ୍ୱାଗତ ଜଣାଇଛନ୍ତି । ଉଭୟ ଦାୟିତ୍ୱ ଗ୍ରହଣ କରିବା ପରେ ନିର୍ବାଚନ ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ଲୋକସଭା ଏବଂ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।