
ଦେଶରେ ବାଜିଲା ନିର୍ବାଚନ ବିଗୁଲ୍ ; ଲୋକସଭା ସମେତ ୪ ରାଜ୍ୟରେ ମତଦାନ ତାରିଖ ଘୋଷଣା । ୭ଟି ଚରଣରେ ମତଦାନ, ଜୁନ୍ ୪ରେ ମତଗଣନା ।

ନୂଆଦିଲ୍ଲୀ/୧୬/୦୩ – ଅପେକ୍ଷାର ଅନ୍ତ ଘଟିଲା, ବାଜିଲା ନିର୍ବାଚନ ବିଗୁଲ୍ । ଭାରତରେ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଭାରତୀୟ ନିର୍ବାଚନ ଆୟୋଗ ଶନିବାର ପ୍ରେସମିଟରେ ସବିଶେଷ ସୂଚନା ଦେଇଛନ୍ତି । ଏଥି ସହିତ ଆଜିଠାରୁ ଦେଶରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନ ମୋଟ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ଚରଣ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ , ମେ’ ୦୭ରେ ତୃତୀୟ, ମେ’ ୧୩ରେ ଚତୁର୍ଥ, ମେ’ ୨୦ରେ ପଞ୍ଚମ, ମେ’ ୨୫ରେ ଷଷ୍ଠ ଓ ଜୁନ ୦୧ ତାରିଖରେ ସପ୍ତମ ପର୍ଯ୍ୟାୟ ବା ଅନ୍ତିମ ଚରଣ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣନା ଜୁନ୍ ୪ ତାରିଖରେ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

ଓଡିଶାରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନରେ ଆସୁଥିବା ୨୮ ବିଧାନସଭା ଆସନରେ ମତ ଗ୍ରହଣ କରାଯିବ । ଏଥିପାଇଁ ଏପ୍ରିଲ ୧୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୨୫ ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଛି । ଏପ୍ରିଲ ୨୬ରେ ନାମାଙ୍କନ ପତ୍ର ଯାଞ୍ଚ, ଏପ୍ରିଲ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ହୋଇଛି ।
ଦ୍ବିତୀୟ ପର୍ଯ୍ୟାୟ ମେ’ ୨୦ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏଗୁଡ଼ିକ ଅନ୍ତର୍ଭୁକ୍ତ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ବିଜ୍ଞପ୍ତି ଏପ୍ରିଲ ୨୬ତାରିଖରେ ପ୍ରକାଶ ପାଇବ । ମେ’ ୩ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଛି । ମେ’ ୪ରେ ନାମାଙ୍କନ ପତ୍ର ଯାଞ୍ଚ, ମେ’୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନିମନ୍ତେ ଧାର୍ଯ୍ୟ ହୋଇଛି ।
ସେହିପରି ତୃତୀୟ ପର୍ଯ୍ୟାୟ ମେ’ ୨୫ ତାରିଖରେ, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହି ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ଏପ୍ରିଲ ୨୯ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମେ’୬ ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଛି । ମେ’ ୭ରେ ନାମାଙ୍କନ ପତ୍ର ଯାଞ୍ଚ ଓ ମେ’ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ହୋଇଛି ।
ଚତୁର୍ଥ ବା ଶେଷ ପର୍ଯ୍ୟାୟ ମତଗ୍ରହଣ ଜୁନ୍ ୧ରେ ଅନୁଷ୍ଠିତ ହେବ । ୪୨ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ଲୋକସଭା ଆସନ ସମେତ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ମେ’୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମେ’୧୪ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଥିବାବେଳେ, ମେ’୧୫ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ମେ’୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଜୁନ୍ ୪ ତାରିଖ ମଙ୍ଗଳବାର ଦିନ ସାରା ଦେଶରେ ଭୋଟ ଗଣତି ହେବ।
ଦେଶରେ ମୋଟ ୯୭ କୋଟି ପଞ୍ଜିକୃତ ଭୋଟର ରହିଛନ୍ତି। ପ୍ରଥମ ଥର ପାଇଁ ୧ କୋଟି ୮୨ ଲକ୍ଷ ନୂଆ ଭୋଟର ଏଥର ନିଜର ମତ ସାବ୍ୟସ୍ତ କରିବେ । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର। ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି । ସେମାନେ ଘରେ ରହି ଭୋଟ୍ ଦେଇପାରିବେ । ଏଥିପାଇଁ ଘରେ ଫର୍ମ ପହଞ୍ଚାଇ ଦିଆଯିବ ଏବଂ ପରେ ସଂଗ୍ରହ କରାଯିବ।
ମତ ଗ୍ରହଣ ନିମନ୍ତେ ୧୦.୫ ଲକ୍ଷ ପୋଲିଂ ବୁଥ୍ ସହ ଭୋଟ ଗ୍ରହଣ ପାଇଁ ଦେଢ କୋଟି ପୋଲିଂ ଅଧିକାରୀ ପ୍ରସ୍ତୁତ ରହିଥିବାବେଳେ, ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍ ପ୍ରସ୍ତୁତ ରହିଛି।
