
ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ କେନ୍ଦୁଡିହି ଗ୍ରାମର ସମସ୍ତ ୭୦ଟି ଘରେ ଜଳିଲା ସୌର ଆଲୁଅ । ପ୍ରତି ଘରକୁ ବଲବ, ପଙ୍ଖା ଏବଂ ଚାର୍ଜ ସରଞ୍ଜାମ ।
ଯୋଡା/୧୭/୦୩ – କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କେନ୍ଦୁଡିହି ଗ୍ରାମକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସହାୟତା । ସୌର ଶକ୍ତି ଗ୍ରାମରେ ରୂପାନ୍ତରିତ ହେଲା କେନ୍ଦୁଡିହି ଗାଁ । ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗ୍ରାମର ସମସ୍ତ ୭୦ ଗୋଟି ଘରକୁ ସୌରଶକ୍ତି ଯୋଗାଇ ଦିଆଯିବା ସହ ଘର ପିଛା ଚାରି ଗୋଟି ବଲବ, ଗୋଟିଏ ଟେବୁଲ୍ ପଙ୍ଖା ଏବଂ ଚାର୍ଜ ସରଞ୍ଜାମ ଦିଆଯାଇଛି । ସେହିପରି କେନ୍ଦୁଡିହି ଗ୍ରାମରେ ୧୫ ଗୋଟି ଷ୍ଟ୍ରିଟ ଲାଇଟ୍ ଲଗାଯିବା ସହ ପାଣି ସମସ୍ୟା ଦୂର କରିବା ପାଇଁ ସୌରଶକ୍ତି ଦ୍ଵାରା ଚାଳିତ ୫୦୦୦ ଲିଟର କ୍ଷମତା ବିଶିଷ୍ଟ ପାଞ୍ଚ ଗୋଟି ପାଣି ବିତରଣ ପଏଣ୍ଟ ସ୍ଥାପନ କରାଯାଇଛି ।

ଏହି ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମକୁ କେନ୍ଦୁଝର ଡିଏଫ୍ଓ ଧନରାଜ ଏଚ୍ ଡି ଉଦଘାଟନ କରିଥିଲେ । ଟାଟା ଷ୍ଟିଲ କଳମଙ୍ଗ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ବଡ଼ବିଲ ରେଞ୍ଜର ରଞ୍ଜନ କାଲୋ, ଯୋଡା ବ୍ଲକ ଚେୟାରମ୍ୟାନ କବିନ୍ଦ୍ର ନାଏକ, ଗୁଆଲି ଗ୍ରାମପଞ୍ଚାୟତ ସରପଞ୍ଚ ବିଦ୍ୟାଧର ନାଏକଙ୍କ ସମେତ କେନ୍ଦୁଡିହି ଗ୍ରାମର ସମସ୍ତ ୱାର୍ଡ ମେମ୍ବର ଏବଂ ଟିଏସ୍ଏଫ୍ ର ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ । ଡିଏଫ୍ଓ ଧନରାଜ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ।
ଏତଦ୍ ବ୍ୟତୀତ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଜଳ ସଂରକ୍ଷଣ ଯୋଜନା, ବର୍ଷା ଜଳ ସଞ୍ଚୟ, ଭିତ୍ତିଭୂମି ସ୍ଥାପନ ଏବଂ ଜୀବନ ଜିବିକା ରେ ଉନ୍ନତି ପାଇଁ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ନିକଟ ଅତୀତରେ କେନ୍ଦୁଡିହି ବିଦ୍ୟାଳୟରେ ଦୁଇଟି ନୂଆ ଶ୍ରେଣୀ ଗୃହ ନିର୍ମାଣ, ସ୍କୁଲ ପିଲାଙ୍କ ପାଇଁ ଖେଳ ଉପକରଣ, ବର୍ଷା ଜଳ ସଂରକ୍ଷଣ ଯୋଜନା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ପାଇଁ ଛେଳି ଗୁହାଳ ନିର୍ମାଣ, କିଚେନ୍ ଗାର୍ଡେନ ଓ ଛତୁ ଚାଷ ପାଇଁ ସମସ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।
